Header Ads

Header ADS

କମଳାକାନ୍ତ ମହାପାତ୍ର ‘ସମ୍ବାଦ’ର ନୂଅ‌ା ପ୍ରକାଶକ


ଭୁବନେଶ୍ୱର : ‘ସମ୍ବାଦ’ର ନୂଆ ମୁଦ୍ରାକର ଓ ପ୍ରକାଶକ ଭାବେ କମଳାକାନ୍ତ ମହାପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ଦୀର୍ଘ ୩୦ ବର୍ଷ ଧରି ‘ସମ୍ବାଦ’ ପରିବାରର ସଦସ୍ୟ ଥିବା ଶ୍ରୀ ମହାପାତ୍ର ଏବେ ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଭାବେ କାର୍ଯ୍ୟରତ ଅଛନ୍ତି।

ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ୍ ସରମରା ଗ୍ରାମର ବୈକୁଣ୍ଠନାଥ ମହାପାତ୍ର ଓ ସ୍ବର୍ଗତ ଭଗବତୀ ମହପାତ୍ରଙ୍କ ପୁତ୍ର କମଳାକାନ୍ତ ମହାପାତ୍ର ନିଜ ଗ୍ରାମସ୍ଥିତ ପୁରୁଷୋତ୍ତମ ନୋଡାଲ୍ ସ୍କୁଲରେ ବିଦ୍ୟାଳୟ ଶିକ୍ଷା ଶେଷ କରି ଭଦ୍ରକ କଲେଜରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ୧୯୮୫ ମସିହାରେ ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ସ୍ନାତକ ଡିଗ୍ରି ହାସଲ କରି ଶ୍ରୀ ମହାପାତ୍ର କଷ୍ଟ୍ ଆକାଉଣ୍ଟିଂ କରିବାକୁ କୋଲକାତା ଯାଇଥିଲେ। ସେଠାରେ ପାଠ୍ୟକ୍ରମ ଶେଷ କରି କୋଲକାତାର ଏକ ଇନ୍‌ଭେଷ୍ଟମେଣ୍ଟ ଫାର୍ମରେ ଅଡିଟ୍ ଅଫିସର୍ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ସେ ଓଡ଼ିଶା ଫେରିଲା ପରେ ୧୯୯୦ ମସିହା ଜୁନ୍ ୫ ତାରିଖରେ ‘ସମ୍ବାଦ’ରେ ଆସିଷ୍ଟାଣ୍ଟ୍ ଆକାଉଣ୍ଟାଣ୍ଟ୍ ଅଫିସର୍ ଭାବେ ଯୋଗ ଦେଇଥିଲେ।

‘ସମ୍ବାଦ’ରେ ବିତ୍ତ ଓ ପ୍ରସାର ବିଭାଗର ବିଭିନ୍ନ ପଦପଦବିରେ ରହି ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସେ ସଫଳତାର ସହ ତୁଲାଇଥିଲେ। ଏହା ବାଦ୍ ‘ସମ୍ବାଦ’ର ଏକାଧିକ ଆଞ୍ଚଳିକ ସଂସ୍କରଣର ଦାୟିତ୍ବ ନେଇ ତାହାକୁ ସଫଳତାର ସହ ନିର୍ବାହ କରିଥିଲେ। ନିଜର ନିଷ୍ଠା ଓ କାର୍ଯ୍ୟଦକ୍ଷତା ପାଇଁ ୨୦୧୦ ମସିହାରେ ଶ୍ରୀ ମହାପାତ୍ର ‘ସମ୍ବାଦ’ର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଭାବେ ଗୁରୁ ଦାୟିତ୍ବ ଗ୍ରହଣ କରିଥିଲେ। ଗତକାଲି ‘ସମ୍ବାଦ’ର ପ୍ରକାଶକ ବିଜୟ ପଟ୍ଟନାୟକଙ୍କ ପରଲୋକ ପରେ ଶ୍ରୀ ମହାପାତ୍ରଙ୍କୁ ପ୍ରକାଶକ ଭାବେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି।


No comments

Powered by Blogger.