Header Ads

Header ADS

କଟକ ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ତେଜିଲା


ଖଡ଼ିଧରା, ମୂର୍ତ୍ତି ଉଚ୍ଚତା ପରିବର୍ତ୍ତନ ସଂପର୍କରେ କିଛି କହିନୁ: ବିଶ୍ବକର୍ମା, ପୂଜକ
ଏଡିସିପିଙ୍କ ତଥ୍ୟ ଆଧାରରେ ନିର୍ଦ୍ଦେଶ ଦେଇଛି; ସେ ପ୍ରମାଣ ରଖିଛନ୍ତି: କମିସନର

କଟକ : କଟକ ଦଶହରାର ମୂର୍ତ୍ତି ଉଚ୍ଚତାକୁ ନେଇ ବିବାଦ ହାଇକୋର୍ଟଙ୍କ ରାୟ ପରେ ଥମିବ ବୋଲି ଯାହା ଆଶା କରାଯାଉଥିଲା, ତାହା ଓଲଟା ସାବ୍ୟସ୍ତ ହୋଇଛି। ଗତକାଲି ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ମୂର୍ତ୍ତି ୪ ଫୁଟ ଉଚ୍ଚତା ଭିତରେ ସୀମିତ ରହିବ ବୋଲି ଏକ ନିର୍ଦ୍ଦେଶନାମା ଜାରି କରିବା ପରେ ଆଜି ତାହାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ପୁଲିସ କମିସନର ଜାରି କରିଥିବା ନିର୍ଦ୍ଦେଶନାମାରେ ଯେଉଁ ବିଶ୍ବକର୍ମା ଓ ପୂଜକଙ୍କ ନାମ ଉଲ୍ଲେଖ କରିଛନ୍ତି, ସେମାନେ ସେଭଳି କିଛି ପୁଲିସକୁ କହି ନାହାନ୍ତି ବୋଲି ଗଣମାଧ୍ୟମରେ ବକ୍ତବ୍ୟ ରଖିବା ପରେ ସଂପୂର୍ଣ୍ଣ ଘଟଣା ବିବାଦୀୟ ହୋଇ ପଡିଛି। ତେଣୁ ବାସ୍ତବରେ କିଏ ସତ ଓ କିଏ ମିଛ କହୁଛି, ତାହାକୁ ନେଇ ସାଧାରଣରେ ଦ୍ବନ୍ଦ୍ବ ବଢିବାରେ ଲାଗିଛି।

ବିଶ୍ବକର୍ମା ଓ ପୂଜକଙ୍କ ମତ ଅନୁଯାୟୀ ମହାଳୟାରେ ଖଡିଧରା କରିବାର କୌଣସି ଆବଶ୍ୟକତା ନାହିଁ ଏବଂ ବେଲ ବରଣୀ ଓ ପ୍ରାଣ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ମୂର୍ତ୍ତିର ଉଚ୍ଚତା ଓ ରୂପରେଖ ବଦଳାଇବାରେ ସମସ୍ୟା ନାହିଁ, ମୁଣ୍ଡ ଓ ମୁହଁ ନଥିବା ମୂର୍ତ୍ତିକୁ ମାଟି ବୋଲି ବିଚାର କରାଯାଇପାରେ ବୋଲି ପୁଲିସ କମିସନରଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା।

ଆଜି ଏଭଳି ଖବର ସାମନାକୁ ଆସିବା ପରେ ଚଣ୍ଡୀ ମନ୍ଦିରର ପୂଜକ ମନୋଜ ପଣ୍ଡା କହିଛନ୍ତି ଯେ କୋର୍ଟ ନିର୍ଦ୍ଦେଶ, ସିପିଙ୍କ ନିର୍ଦ୍ଦେଶକୁ ନେଇ ଯେଉଁ ଖବର ପ୍ରକାଶ ପାଇଛି, ସେ ସଂପର୍କରେ ଗଲା କିଛିଦିନ ଭିତରେ କେହି ବି ତାଙ୍କ ସହିତ ଆଲୋଚନା କରିନାହାନ୍ତି।

ସେହିଭଳି ବିଶ୍ବକର୍ମା ପ୍ରଦୀପ ବେହେରା କହିଛନ୍ତି ଯେ ତାଙ୍କ ସହିତ କିଏ ଜଣେ ଅଧିକାରୀ ବହୁ ଦିନ ତଳେ ଆସି ଆଲୋଚନା କରିଥିଲେ। କିନ୍ତୁ ମୂର୍ତ୍ତି ଉଚ୍ଚତା ବଦଳି ପାରିବ କି ନାହିଁ, ସେ ସଂପର୍କରେ ସେ କିଛି ଆଲୋଚନା କରି ନଥିଲେ କି କହି ନଥିଲେ।

ଆଜି ଏଭଳି ବିବାଦ ମୁଣ୍ଡ ଟେକିବା ପରେ ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ତଥ୍ୟ ସଂଗ୍ରହ କରିବାକୁ ଏଡିସିପି ପ୍ରମୋଦ ରଥଙ୍କୁ ଦାୟିତ୍ବ ଦେଇଥିଲେ। ପ୍ରମୋଦ ରଥ ଯେଉଁ ତଥ୍ୟ ତାଙ୍କ ପାଖରେ ରଖିଥିଲେ ସେହି ଅନୁଯାୟୀ ସେ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି। ପ୍ରମୋଦ ରଥ ବି ସବୁ ପ୍ରକାର ପ୍ରମାଣ ରଖିଥିବା କଥା ତାଙ୍କୁ କହିଛନ୍ତି। ସେ ନିଜେ କିନ୍ତୁ କୌଣସି ମଣ୍ଡପକୁ ଯାଇ ନାହାନ୍ତି, ଅଥବା କାହା ସହିତ ଆଲୋଚନା କରି ନାହାନ୍ତି ବୋଲି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିବା ସହିତ ତାଙ୍କ ନିକଟରେ ଯେଉଁ ତଥ୍ୟ ରଖାଯାଇଛି, ସେହି ଅନୁଯାୟୀ ସେ ନିର୍ଦ୍ଦେଶନାମା ଜାରି କରିଥିବା ସ୍ପଷ୍ଟ କରିଛନ୍ତି।

କିନ୍ତୁ ଦଶହରାରେ ମୂର୍ତ୍ତିର ଉଚ୍ଚତାକୁ ନେଇ ଏଭଳି ଅଯଥା ବିବାଦ ବଢି ଚାଲିଥିବାରୁ ତାହାକୁ ନେଇ ସହରବାସୀ ଓ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ବଢିବାରେ ଲାଗିଛି।


No comments

Powered by Blogger.