Header Ads

Header ADS

ଜୟପୁର: ୫ରୁ ୭ଦିନ ପରେ ଆସୁଛି ରିପୋର୍ଟ, ସ୍ୱାବ୍ ଦେବା ପରେ ସଂଗରୋଧରେ ରହୁନାହାନ୍ତି


ଜୟପୁର : ଜୟପୁର ସହରରେ ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମଣ। ପ୍ରତିଦିନ ନୂଆ ନୂଆ ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି ସଂକ୍ରମିତ। ସ୍ବାବ୍ ଦେବାର ୫ରୁ ୭ଦିନ ପରେ ରିପୋର୍ଟ ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ଆଲୋଚନା ହେଉଛି। ଜଣେ ସନ୍ଦିଗ୍ଧ ସ୍ବାବ୍ ପରୀକ୍ଷା ପାଇଁ ଦେବା ପରେ ନିୟମ ଦୃଷ୍ଟିରୁ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଗୃହ ସଂଗରୋଧରେ ରହିବା କଥା। ହେଲେ ସ୍ବାବ୍ ଦେବା ପରେ ସମସ୍ତେ ଏହି ନିୟମ ପାଳନ କରୁନାହାନ୍ତି। ଫଳରେ ସହରରେ ସଂକ୍ରମଣ ବଢ଼ିବାରେ ଲାଗିଛି ବୋଲି କହିଛନ୍ତି ସିଡିଏମ୍‌ଓ ଡା. ମକରନ୍ଦ ବେଉରା। ଅପରପକ୍ଷରେ ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ୨ଦିନ ଓ ଆର୍‌ଟିପିସିଆର୍‌ରେ ପରୀକ୍ଷା କଲେ ୩ ଦିନରେ ରିପୋର୍ଟ ଆସୁଥିବା ସେ କହିଛନ୍ତି।

ସହରରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବିଭିନ୍ନ ବର୍ଗର ଲୋକ ରହୁଛନ୍ତି। ସମସ୍ତଙ୍କ ଆବଶ୍ୟକତା ଭିନ୍ନ ଭିନ୍ନ ହୋଇଥିବା ବେଳେ ରିପୋର୍ଟ ଆସିବାରେ ବିଳମ୍ବ ହେବା ଦ୍ବାରା ସେମାନେ ଅଧିକ ଦିନ ଘରେ ରହିବା ସମ୍ଭବ ହେଉନି। ବିଶେଷ କରି ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକେ ଅଧିକ ଦିନ ଛୁଟିରେ ରହିବା ସମ୍ଭବ ହେଉନି। ସେମାନେ କାର୍ଯ୍ୟରେ ଯୋଗ ଦେବା ପରେ ଯଦି ରିପୋର୍ଟ ପଜିଟିଭ୍ ଆସୁଛି ତାହା ହେଲେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ଜଣେ ସଂକ୍ରମିତଙ୍କ କହିବା ମୁତାବକ ସେ ସ୍ବାବ୍ ଦେଇ ୮ଦିନ ରିପୋର୍ଟ ପାଇଁ ଅପେକ୍ଷା କରି ଗୃହ ସଂଗରୋଧରେ ରହିଥିଲେ। ସେ ଏକ ଘରୋଇ ଅନୁଷ୍ଠାନରେ କାମ କରୁଥିବାରୁ ଏତେ ଦିନ ଧରି ରିପୋର୍ଟ ନ ଆସିବାରୁ ବାଧ୍ୟ ହୋଇ କାମ କରିବାକୁ ଯାଇଥିଲେ। କାମକୁ ଯିବାର ଦିନକ ପରେ ସେ ସଂକ୍ରମିତ ବୋଲି ଫୋନ ଆସିଥିଲା। ଠିକ୍ ସେଭଳି ଜଣେ ବ୍ୟବସାୟୀ ସ୍ବାବ୍ ଦେବାର ୭ ଦିନ ପର୍ଯ୍ୟନ୍ତ ରିପୋର୍ଟ ଆସି ନଥିଲା। ଦେହ ଅସୁସ୍ଥ ହେବାରୁ ୫ଦିନ, ସ୍ବାବ୍ ଦେଇ ୭ଦିନ ଏଭଳି ୧୨ଦିନ ଘରେ ରହିବା ପରେ ରିପୋର୍ଟ ନ ଆସିବାରୁ ସେ ଯାଇ ଦୋକାନ ଖୋଲିଥିଲେ। ଦୋକାନ ଖୋଲିବାର ଦିନକ ପରେ ସେ ସଂକ୍ରମିତ ଥିବା ନେଇ ଫୋନ ଆସିଥିବା କହିଛନ୍ତି ସମ୍ପୃକ୍ତ ବ୍ୟବସାୟୀ। ରିପୋର୍ଟ ବିଳମ୍ବିତ ହୋଇଥିବାରୁ ଉଭୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କିଛି ଲୋକ ମଧ୍ୟ ସଂକ୍ରମିତ ହୋଇଥିଲେ।

ଜୟପୁର କୋଭିଡ୍ ହସ୍ପିଟାଲ, କୋରାପୁଟ ମହିଳା ମହାବିଦ୍ୟାଳୟ କୋଭିଡ୍ କେୟାର ସେଣ୍ଟର ସହ ଜିଲ୍ଲାର ୧୬ଟି ସିଏଚ୍‌ସିରେ ୪୯ଟି ଦଳ ସ୍ବାବ୍ ସଂଗ୍ରହ କରୁଛନ୍ତି। ଦିନକୁ ୨୦୦ ଆରଟିପିସିଆର ଓ ୮୦୦ ଆଣ୍ଟିଜେନ୍ କିଟ୍‌ରେ ସ୍ବାବ୍ ସଂଗ୍ରହ କରାଯାଉଥିବା ସିଡିଏମଓ କହିଛନ୍ତି। ଆର୍‌ଟିପିସିଆର୍‌ରେ ସ୍ବାବ୍ ସଂଗ୍ରହ ପରେ ପରୀକ୍ଷା ପାଇଁ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜର ପରୀକ୍ଷା‌ କେନ୍ଦ୍ରକୁ ଯାଉଛି। ସେଠାରେ ଦୈନିକ୨୦୦ ନମୁନାର ପରୀକ୍ଷା କରାଯାଉଛି। ପୂର୍ବରୁ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜର ଆରଟିପିସଆର ମେସିନରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ରିପୋର୍ଟ ଆସିବାରେ ସାମାନ୍ୟ ବିଳମ୍ବ ହେଉଥିଲା। ବର୍ତ୍ତମାନ ଆଉ ବିଳମ୍ବ ହେଉନଥିବା କହିଛନ୍ତି ସିଡିଏମଓ।


No comments

Powered by Blogger.