Header Ads

Header ADS

ସକ୍ରିୟ ହେଲା ମୌସୁମୀ, ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା


ଭୁବନେଶ୍ୱର : ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ଆଉ ଓଡ଼ିଶା ଉପରେ ବେଶି ଦେଖାଦେବ ନାହିଁ। ଫଳରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିଯିବ। ଲଘୁଚାପଟି ଛତିଶଗଡ଼ ଆଡ଼କୁ ମୁହାଁଇଥିବାରୁ କେବଳ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର କେତୋଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେ‌େବ‌ ଦୀର୍ଘ ଦିନ ଧରି ରାଜ୍ୟରେ ଦୁର୍ବଳ ରହିଥିବା ମୌସୁମୀକୁ ଏହି ଲଘୁଚାପ ସକ୍ରିୟ କରିଦେଇଥିବାରୁ ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ମୌସୁମୀ ଟ୍ରଫ୍‌ ଲାଇନ୍‌ ଏବେ ଅଜମୈର୍‌, ଜବଲପୁର, ଚମ୍ପା ଦେଇ ପୂର୍ବ-ଦକ୍ଷିଣପୂର୍ବ ଆଡ଼କୁ ଗତି କରି ଲଘୁଚାପର କେନ୍ଦ୍ର ମଧ୍ୟ ଦେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଓଡ଼ିଶା ଉପରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୦.୯ କିମି ପର୍ଯ୍ୟନ୍ତ ବ୍ୟାପିଛି। ଏହା ପ୍ରଭାବରେ ରାଜ୍ୟରେ ଏବେ ୨ରୁ ୩ ଦିନ ପର୍ଯ୍ୟନ୍ତ ଅଳ୍ପ ବହୁତ ବର୍ଷା ଲାଗି ରହିବ। ଅପରପକ୍ଷେ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇଯାଇଛି। ସୋନପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏଥିସହ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ମଧ୍ୟ ଜଣାପଡ଼ିଛି। ଗତକାଲି ରାଜ୍ୟ‌ରେ ସର୍ବାଧିକ ୧୪୪ ମିମି ବର୍ଷା ସୋନପୁରର ଉଲୁଣ୍ଡାଠାରେ ରେକର୍ଡ ହୋଇଛି। ଏଥିସହ ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲା ଚାନ୍ଦହାଣ୍ଡି, ରାୟଗଡ଼ା ଜିଲ୍ଲା କୋତ୍ରାଗୁଡ଼ା ଓ ଭଦ୍ରକ ଜିଲ୍ଲା ବାସୁଦେବପୁର ଆଦି ସ୍ଥାନ‌ରେ ୧୦୦ ମିମି ବର୍ଷାରୁ ଅଧିକ ବର୍ଷା ହୋଇଯାଇଛି।


No comments

Powered by Blogger.